Koshli Expose – Breaking News, Western Odisha & Regional Updates

Header
collapse
...
Home / Crime / ମଦ ବନ୍ଦ ଦାବିରେ ଥାନା ଘେରାଉ କଲେ ଗ୍ରାମବାସୀ

ମଦ ବନ୍ଦ ଦାବିରେ ଥାନା ଘେରାଉ କଲେ ଗ୍ରାମବାସୀ

Jun 27, 2026  Arabinda Biswal 71 views
ମଦ ବନ୍ଦ ଦାବିରେ ଥାନା ଘେରାଉ କଲେ ଗ୍ରାମବାସୀ

ମୈଦଲପୁର:- ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ଗଦବାକତରା ଗ୍ରାମର ଶତାଧିକ ଗ୍ରାମବାସୀ ଶନିବାର ସରକାରୀ ଅନୁମୋଦିତ ବିଦେଶୀ ମଦ ଦୋକାନ ସମେତ ଅଞ୍ଚଳରେ ଚାଲିଥିବା ଦେଶୀ ମଦ ଭାଟିଗୁଡ଼ିକୁ ତୁରନ୍ତ ବନ୍ଦ କରିବା ଦାବିରେ ମୈଦଲପୁର ଥାନା ଘେରାଉ କରିଥିଲେ। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଅବାଧ ଭାବେ ମଦ ବିକ୍ରି ହେଉଥିବାରୁ ପରିବାର ମଧ୍ୟରେ ଅଶାନ୍ତି, କଳହ ଓ ସାମାଜିକ ଅବକ୍ଷୟ ବୃଦ୍ଧି ପାଉଛି। ଅନେକ ପରିବାର ଆର୍ଥିକ ସଙ୍କଟରେ ପଡ଼ୁଥିବା ବେଳେ, ମଦ୍ୟପାନ ଯୋଗୁଁ ମାରପିଟ, ଘରୋଇ ହିଂସା ଏବଂ ଦୁର୍ଘଟଣା ଘଟି ଜୀବନ ହାନି ମଧ୍ୟ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀମାନେ କହିଛନ୍ତି ଯେ, ଅଞ୍ଚଳରେ ମଦ ବିକ୍ରି ବନ୍ଦ ପାଇଁ ପୂର୍ବରୁ ପ୍ରଶାସନକୁ ଏକାଧିକ ଥର ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ବାଧ୍ୟ ହୋଇ ସେମାନେ ଥାନା ଘେରାଉ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏନେଇ ପୁଲିସ ପକ୍ଷରୁ ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱର ସହ ନିଆଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି। ତେବେ ଗ୍ରାମବାସୀମାନେ ଶୀଘ୍ର ମଦ ବିକ୍ରି ବନ୍ଦ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy