
ତୁଷୁରା : ତୁଷୁରା ରୁ ନୂଆପଡା ଯିବା ମୁଖ୍ୟ ରାସ୍ତାର ନୂଆପଡା ସମରା ଛକ ନିକଟରେ ଆଜି ଏକ ବିଶାଳକାୟ ଗଛ ଗତ ତିନି ଦିନ ଧରି ବର୍ଷା ଯୋଗୁଁ ଢଳି ପଡ଼ିଛି। ଗଛଟି ରାସ୍ତା ମଝିରେ ପଡିବା ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇ ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁଯାୟୀ ତୁଷୁରା ଏବଂ ନୂଆପଡାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ଏହି ବାଟ ଦେଇ ଯାତାୟାତ କରିଥାନ୍ତି। ବିଶେଷ କରି ତୁଷୁରା ଡିଗ୍ରୀ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ନୂଆପଡା ଅଭିମୁଖେ ଯାଉଥିବା ସାଧାରଣ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଆଜି ହଠାତ୍ ସମରା ଛକ ଠାରେ ଥିବା ଏକ ବିରାଟ ଗଛ ରାସ୍ତା ଉପରକୁ ଉପୁଡି ପଡିବାରୁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି।
ରାସ୍ତା ଅବରୋଧ ଯୋଗୁଁ କଲେଜ ଯାଉଥିବା ଛାତ୍ରଛାତ୍ରୀ, କର୍ମଜୀବୀ ଏବଂ ଜରୁରୀ କାମରେ ଯାଉଥିବା ଲୋକମାନେ ଘଣ୍ଟା ଘଣ୍ଟା ଧରି ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତା ଉପରୁ ଗଛଟିକୁ ହଟାଇବା ସହ ଯାତାୟତ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ବାସିନ୍ଦା ତଥା ଫସି ରହିଥିବା ଯାତ୍ରୀମାନେ ଦାବି କରିଛନ୍ତି।


Leave a comment
Your email address will not be published. Required fields are marked *