
ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଝାଡ଼ଖଣ୍ଡ ଦକ୍ଷିଣ ଛୋଟ୍ନାଗରା ଡିଭିଜନ୍ର ଲୋକାଲ୍ ଗରିଲା ସ୍କ୍ବାର୍ଡ ସଦସ୍ୟା ମହିଳା ମାଓବାଦୀ ହୋଲୋମୁଲି ଗ୍ରାମର ମୋଙ୍ଗଡ଼ି ହୋନ୍ହାଗା(୧୯) ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ମୋଙ୍ଗଡ଼ି ଝାଡ଼ଖଣ୍ଡର ଅନ୍ମୋଲ୍ ଗ୍ୟାଙ୍ଗ ସକ୍ରିୟ ଥିଲେ। ୨୦୨୫ ମସିହା ମେ’ ମାସରେ ବାଙ୍କୋ ପଥର ଖଣି ନିକଟରୁ ବିସ୍ଫୋରକ ଲୁଟ୍ , ଅଗଷ୍ଟ ମାସରେ କେ. ବଲାଙ୍ଗ ଥାନା ଅଞ୍ଚଳରେ ପୋଷ୍ଟର ଲଗାଇବା, ରେଞ୍ଜେଡ଼ା ରେଲୱେ ଟ୍ରାକ୍ରେ ଆଇଇଡ଼ି ବ୍ଲାଷ୍ଟ, ବାଙ୍କୋ ଖଣି ଅଞ୍ଚଳରେ ବ୍ଲାଷ୍ଟ ଘଟଣାରେ ସମ୍ପୃକ୍ତ ଥିଲେ। ନକ୍ସଲବାଦକୁ ସମାପ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦେଶ ରହିଛି।
ଏହାକୁ ମିଶାଇ ୩ ଜଣ ମାଓବାଦୀ ରାଉରକେଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଯାହା ରାଉରକେଲା ପୁଲିସର କାର୍ଯ୍ୟଦକ୍ଷତା ଓ ପ୍ରତିବଦ୍ଧତାକୁ ବଖାଣୁଛି ବୋଲି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍ମିଟ୍ରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ କହିଛନ୍ତି। ରାଉରକେଲା ଏସ୍ପି ନୀତେଶ ୱାଧୱାନୀ କହିଲେ, ମହିଳା ମାଓବାଦୀ ଜଣକ ସରଣ୍ଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ପଶ୍ଚିମ ସିଂହଭୂମ ଜିଲ୍ଲାର ହୋଲୋମୁଲି ଅଞ୍ଚଳର ବାସିନ୍ଦା ଯେଉଁଠି ସିପିଆଇ ମାଓବାଦୀମାନେ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବାକୁ ଆସନ୍ତି।
ଲଜିଷ୍ଟିକ୍ ଯୋଗାଣକାରୀଙ୍କ ମାଧ୍ୟମରେ ସେ ମାଓବାଦୀଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁର୍ଦ୍ଦାନ୍ତ ମାଓବାଦୀ ଅନମୋଲ ତାଙ୍କୁ ସଂଗଠନରେ ସାମିଲ କରାଇଥିଲା। ଚଳିତବର୍ଷ ଜାନୁଆରି ୨୧ ତାରିଖରେ କୁମ୍ଡିହି ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀମାନଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରବେଳେ ସେ ଅନ୍ୟ ଦୁଇଜଣଙ୍କ ସହ ଚମ୍ପଟ୍ ମାରି ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିଲେ। ରାଉରକେଲା ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ ସେ ଦଳ ସହ ଜଡ଼ିତ ଥିଲେ। ସେ ୪ଟି ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ରାଉରକେଲା ପୁଲିସ ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଯୋଗାଯୋଗ କରିଥିଲା।
ମାଓବାଦୀ ଚିନ୍ତାଧାରା ପ୍ରତି ନିରାଶା ପ୍ରକାଶ କରିବା ସହ ଶାରୀରିକ ଓ ମାନସିକ ଭାବେ ଉତ୍ପୀଡ଼ନର ସମ୍ମୁଖୀନ ହୋଇଥିଲେ। ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଓ ସୁରକ୍ଷା ଅଭିଯାନ ପ୍ରଭାବରେ ସେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ରାଜ୍ୟ ସରକାରଙ୍କ ଥଇଥାନ ପ୍ୟାକେଜ୍ରେ ୨ ଲକ୍ଷ ୬୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ଉଲ୍ଲେଖଯୋଗ୍ୟ, ୨୦୨୬ ଫେବ୍ରୁଆରି ମାସରେ ଦକ୍ଷିଣ ଛୋଟ୍ନାଗରା ଡିଭିଜନ୍ର ଲୋକାଲ୍ ଗରିଲା ସ୍କାଡ୍ ସଦସ୍ୟ ଇମ୍ବ୍ଲେନ୍ ହୋନ୍ହାଗା(୧୮) ରାଉରକେଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ୨୦୨୫ ଡିସେମ୍ବର ମାସରେ ଜଣେ ୧୫ ବର୍ଷୀୟ ନାବାଳକ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଥିଲେ।


Leave a comment
Your email address will not be published. Required fields are marked *