
ଶାମାଖୁଣ୍ଟା: ତାଣ୍ଡବ ରଚିଲା କାଳବୈଶାଖୀ। ଅଚାନକ ପବନଘଡଘଡି ସାଙ୍ଗକୁ ପ୍ରବଳବର୍ଷା ଉଯାଡି ଦେଲା ଅନେକ ଘର। ମିଳିଥିବା ସୂଚନା ଅନୁଯାୟୀ କୁଚିଳାଘାଟି ପଞ୍ଚାୟତ ସ୍ଥିତ କାକରପାଣି ଠାରେ ଶୁଖିଲା ଘଡଘଡି ଯୋଗୁଁ ପ୍ରଧାନ ସିଂଙ୍କର ଦୁଇଟି ମଇଁଷି ଓ ଦୁଇଟି ବାଛୁରୀ ମୃତ୍ୟୁ ବରଣ କରିଛନ୍ତି।
କାଳବୈଶାଖୀ ଯୋଗୁଁ ବାଲିଡ଼ିହା ,ଖାଣ୍ଡିଆ ଓ ଭାଲୁକି ପଞ୍ଚାୟତ ର ଅନେକ ଘର ଭାଙ୍ଗି ଯାଇଛି।ମିଳିଥିବା ସୂଚନା ଅନୁଯାୟୀ ବାଲିଡ଼ିହା ପଞ୍ଚାୟତ ର ଆମ୍ବଡାଳି ଗ୍ରାମର ସନ୍ତୋଷ ମାହାଲି ,ରୁହିଆ ମାହାଲି ,ମାନସିଂହ ମାହାଲି, ମୋହନ ବାସ୍କେ ,ମଙ୍ଗଳ ମାହାଲି , ରବୀନ୍ଦ୍ର ମାହାଲି , କାହ୍ନୁ ମାହାଲି , ଶମ୍ଭୁ ମାହାଲି , ଦାସ ମାହାଲି ଓ ହେମନ୍ତ ମହାନ୍ତ ଙ୍କ ଘର ଭାଙ୍ଗି ଯିବା ସହ ପ୍ରବଳ ପବନରେ ଦୁଇଟି ଟେମ୍ପୋ ପାଲଟି ଯାଇଛି।
ବାଲିଡ଼ିହା ପଞ୍ଚାୟତ ସ୍ଥିତ ଦନାମୋରା ବେହେରା ସାହିର ଇଶ୍ୱର ମହାନ୍ତ ଓ ରମାକାନ୍ତ ବେହେରାଙ୍କ ଘର ଭାଙ୍ଗି ଯାଇଛି। ଖାଣ୍ଡିଆ ପଞ୍ଚାୟତରେ ଦୁଇଟି ଘର ଭାଙ୍ଗିଯାଇଅଛି।ସେହିପରି ଭାଲୁକି ପଞ୍ଚାୟତରେ ଚାରୋଟି ଘର ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଅନେକ ଘରର ଚାଳ ଛପର ଉଡି ଯାଇଛି ଏହା ସହିତ ଗୁହାଳଘର ଭାଙ୍ଗିଯିବାରୁ ତିନୋଟି ଛେଳି ର ମୃତ୍ୟୁ ହୋଇଛି।
ପ୍ରଶାଶନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ନିୟୋଜିତ ରାଜସ୍ୱ ନିରୀକ୍ଷକ ମାନେ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ବଣ୍ଟନ ସହ ଶୁଖିଲା ଖାଦ୍ୟ ର ବ୍ୟବସ୍ଥା କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ଜଗନ୍ନାଥ ବେହେରା।


Leave a comment
Your email address will not be published. Required fields are marked *